ମୁମ୍ଵାଇ ୨୬।୧୨; ବଲିଉଡ ଅଭିନେତା ସୋନୁ ସୁଦ। କରୋନା ସମୟରେ ଗରିବ ଲୋକଙ୍କ ପାଇଁ ସାଜିଥିଲେ ଭଗବାନ । ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ରହିଥିଲଏ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କୁ ନିଜର ସମ୍ପତ୍ତିକୁ ମଧ୍ୟ ବନ୍ଧା ପକାଇବାକୁ ପଡ଼ିଥିଲା । ଏହା ପରେ ଚର୍ଚ୍ଚା ହେଲା, ସୋନୁ ରାଜନୀତିରେ ପ୍ରବେଶ କରିବେ । କିନ୍ତୁ ସେମିତି କିଛି ହୋଇନଥିଲା । ଖୁବ୍ଶୀଘ୍ର ତାଙ୍କର ଅପ୍କମିଙ୍ଗ ଫିଲ୍ମ ‘ଫତେହ୍’ ମୁକ୍ତିଲାଭ କରିବ । ଏହାର ପ୍ରମୋସନ୍ ସମୟରେ ସୋନୁ ପୁଣି ଥରେ ରାଜନୀତିରେ ଯୋଗ ଦେବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଏନେଇ ସୋନୁ କହିଛନ୍ତି ‘ମୋତେ ମୁଖ୍ୟମନ୍ତ୍ରୀ ହେବାକୁ ଅଫର୍ ଆସିଥିଲା । ମୁଁ ରାଜି ନ ହେବାରୁ ଉପ-ମୁଖ୍ୟମନ୍ତ୍ରୀ ହେବାକୁ କୁହାଗଲା । ଦେଶର ନାମୀ ବ୍ୟକ୍ତି ମୋତେ ରାଜ୍ୟସଭା ସଦସ୍ୟ ଅଫର୍ ମଧ୍ୟ ଦେଇଥିଲେ । ସେମାନେ ମୋତେ କହିଲେ, ଆପଣ ଆସନ୍ତୁ । ଆପଣଙ୍କୁ ଲଢ଼ିବା କ’ଣ ଦରକାର ।’ ସୋନୁ ଆହୁରି କହିଛନ୍ତି ‘ଆପଣ ଲୋକପ୍ରିୟ ହେବା ଆରମ୍ଭ କଲେ, ଜୀବନରେ ଉପରକୁ ଯିବା ଆରମ୍ଭ କରନ୍ତି । କିନ୍ତୁ ଉପରେ ଅମ୍ଳଜାନ ସର୍ବଦା କମ୍ ଥାଏ । ଯିବାକୁ ଚାହିଁଲେ ବି ଅମ୍ଳଜାନ କମ୍ ଥିବାରୁ ଆପଣ କେତେ ବା ଶ୍ୱାସକ୍ରିୟା କରିବେ । ମୋତେ କେହି ଜଣେ କହିଲେ ‘ଏତେ ବଡ଼ ବଡ଼ ଲୋକ ତୁମକୁ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଅଫର୍ ଦେଉଛନ୍ତି । ତୁମେ ଗ୍ରହଣ କରୁନ କାହିଁକି? ତୁମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ କଳାକାର ଏ ବିଷୟରେ କଳ୍ପନା ସୁଦ୍ଧା କରିପାରିବେ ନାହିଁ । ତୁମେ କିନ୍ତୁ ଅଫର୍ ହାତଛଡ଼ା କରୁଛ!’
ମୋ ମତରେ ଲୋକେ ଦୁଇଟି କାରଣ ପାଇଁ ରାଜନୀତିକୁ ଆସନ୍ତି । ଅର୍ଥ ଉପାର୍ଜନ ଓ ପାୱାର । ଦୁଇଟିଯାକରେ ମୋର ଲୋଭ ନାହିଁ । ସାହାଯ୍ୟ କରିବା କଥା ଯଦି କହିବା, ତେବେ ମୁଁ କୌଣସି ପଦରେ ନ ଥାଇ ବି ଲୋକଙ୍କୁ ସାହାଯ୍ୟ କରୁଛି । ସେ ଦୁନିଆକୁ ଯାଇ କେତେ ସହଜ ମଣିବି, ତାହା ମୁଁ ଜାଣିନି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କାହାର ଜାତି, ଧର୍ମ ପଚାରେ ନାହିଁ । ନିଜ ସ୍ତରରେ ସାହାଯ୍ୟ କରେ । କାଲି ଯଦି ମୁଁ କୌଣସି ପ୍ରକାର ଉତ୍ତରଦାୟୀ ହୋଇଯାଏ। ତେବେ ମୋର ସ୍ୱାଧୀନତା ରହିବ ନାହିଁ ବୋଲି ଭୟ ଲାଗୁଛି । ସରକାରୀ ପାୱାର ପାଇଁ ବର୍ତ୍ତମାନ ମୁଁ ପ୍ରସ୍ତୁତ ନୁହେଁ । କିଛି ବର୍ଷ ପରେ ହେବି କି ନାହିଁ ଜାଣିନି । ହୋଇପାରେ, ମୋ ମନକୁ ଆସିପାରେ ଯେ ଏହି ରାସ୍ତାରେ ଯାଇ ଦେଶ ପାଇଁ କାମ କରିବି । ମୁଁ ରାଜନୀତି-ବିରୋଧୀ ନୁହେଁ । ରାଜନେତାଙ୍କୁ ସମ୍ମାନ ମଧ୍ୟ ଦିଏ । କିନ୍ତୁ ମୋ ମତରେ ମୋ ଭିତରେ ଏବେ କଳାକାର-ନିର୍ଦ୍ଦେଶକ ଖୁବ୍ ବାକି ଅଛି । ଏହି ଦୁନିଆ ମୋର ବହୁତ ପ୍ରିୟ । ସିନେମାକୁ ମୁଁ ଖୁବ୍ ଭଲପାଏ । ଯେବେ ମୁଁ ହୃଦୟଙ୍ଗମ କରିବି ଯେ ବହୁତ ହୋଇଗଲା, ଏବେ ରାଜନୀତିକୁ ଆସିବି, ସେତେବେଳେ ଦେଖାଯିବ । ଏବେ କିନ୍ତୁ ମୁଁ ଜଣେ କଳାକାର । ନିର୍ଦ୍ଦେଶନା ମଧ୍ୟ ଦେବି